ଯୁବ ପ୍ରେରଣା ଚାକିରି ହେଉଛି ଏକ ସଂକୁଚିତ ସ୍ଥାନ, ଯେଉଁଠି ସୁଯୋଗ କି ସମ୍ଭାବନା ସୃଷ୍ଟି କରିହୁଏନା : ଅଭିଷେକ ଦ୍ୱିବେଦୀ

Youth Inspiration Job is a confined space, where opportunities and possibilities cannot be created: Abhishek Dwivedi

0

ଯୁବ ପ୍ରେରଣା ଚାକିରି ହେଉଛି ଏକ ସଂକୁଚିତ ସ୍ଥାନ, ଯେଉଁଠି ସୁଯୋଗ କି ସମ୍ଭାବନା ସୃଷ୍ଟି କରିହୁଏନା : ଅଭିଷେକ ଦ୍ୱିବେଦୀ

ଆଜିକାଲି ଅଧିକାଂଶ ଉଚ୍ଚଶିକ୍ଷିତ ଚାକିରି ପଛରେ ଗୋଡ଼େଇବ ଓ ନିରାପଦ ସ୍ଥାନରେ ରହି ନିଜ ସ୍ୱପ୍ନ ପୂରଣ କରିବାକୁ ଚାହୁଁଥିବାବେଳେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚାକିରି ନୁହେଁ ବରଂ ନିଜ ନିଜର କର୍ମସଂସ୍ଥାନ ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କୁ ଚାକିରି ଦେଇ ଖୁସି ହୋଇଥାନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ପରିବାରର ଦାୟବଦ୍ଧ ହେବା ପଛରେ ଥାଏ କିଛି ଉଚ୍ଚଶିକ୍ଷିତଙ୍କ ଆକାଂକ୍ଷା। ସେମିତି ଜଣେ ବ୍ୟକ୍ତିତ୍ୱ ହେଲେ ଅଭିଷେକ ଦ୍ୱିବେଦୀ। ଆକ୍ୱାପ୍ଲସ୍ ନାମକ ଏକ କମ୍ପାନୀ କରି ନିଜର ସ୍ୱପ୍ନ ପୂରଣ କରିବା ସହ ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଚାକିରିର ଚନ୍ଦ୍ରବନ୍ଦନୀ ମଧ୍ୟରେ ନରହି ସମୁଦ୍ରେ ଆଶା ନେଇ ଯେଉଁ ପଦକ୍ଷେପ ନେଇଛନ୍ତି, ଆଜି ଜଣେ ଯୁବ ଉଦ୍ୟୋଗୀ ଭାବରେ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ କୁହନ୍ତି, ଚାକିରି ହେଉଛି ଏକ ସଂରକ୍ଷିତ ଓ ପରାଧୀନ କ୍ଷେତ୍ର। ଆଗକୁ ଯିବାକୁ କୌଣସି ସୁଯୋଗ ନଥାଏ ବରଂ ଥାଏ ଏକ ସଂକୁଚିତ କ୍ଷେତ୍ର। ନିଜର ଲକ୍ଷ୍ୟ ଓ କାର୍ଯ୍ୟକାରୀତା ପାଇଁ ସେମିତି ନଥାଏ ବଳିଷ୍ଠ ମାଧ୍ୟମ। ସେଥିପାଇଁ ସେ ଚାକିରି ଅପେକ୍ଷା ନିଜର ଷ୍ଟାର୍ଟ ଅପ୍‌କୁ ବେଶ ପସନ୍ଦ କରିଛନ୍ତି। ବିଶ୍ୱରେ ଥିବା ସାମୁଦ୍ରିକ ଖାଦ୍ୟର ଚାହିଦାକୁ ପୂରଣ କରିବାକୁ ଯାଇ ପ୍ରତିଷ୍ଠା କରିଛନ୍ତି ଏଭଳି ଏକ ମାଧ୍ୟମ। ଯାହାଫଳରେ ଜଣେ ମାଛ ଚାଷୀ ନୁହେଁ ବରଂ ଅନେକଙ୍କ ପାଇଁ ରୋଜଗାରର ବାଟ ଫିଟାଇ ପାରିବ। ସେ କେବଳ ଓଡ଼ିଶା କାହିଁକି ସାରା ବିଶ୍ୱରେ ଜଣେ ଯୁବ ଉଦ୍ୟୋଗୀ ଭାବରେ ନିଜ ସ୍ୱପ୍ନକୁ ଚରିତାର୍ଥ କରିବା ସହ ଅନେକ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି। ଓଡ଼ିଶାରେ ରହିଥିବା ଭିତ୍ତିଭୂମି ଓ ଏହାର ସୁବିନିଯୋଗ ନିମନ୍ତେ ସେ ଯେଭଳି ଭାବରେ କାର୍ଯ୍ୟକାରୀ କରିବାକୁ ଚାହାନ୍ତି, ତାଙ୍କୁ ଉପଯୁକ୍ତ ସୁଯୋଗ ମିଳିଲେ ସେ କେବଳ ଏକା ନୁହନ୍ତି ଓଡ଼ିଶା ଏକ ଅର୍ଥନୈତିକ ସମୃଦ୍ଧିଶାଳୀ ରାଜ୍ୟ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି କୁହନ୍ତି। ଓଡ଼ିଶାର ପାରମ୍ପରିକ ମତ୍ସ୍ୟଚାଷ ଓ ଉନ୍ନତ ଜ୍ଞାନକୌଶଳ ଅଭାବରୁ ବର୍ଷ ବର୍ଷ ଧରି ଅବହେଳିତ ରାଜ୍ୟ ଭାବରେ ପଡ଼ିରହିଛି। ଅନ୍ୟରାଜ୍ୟ ତୁଳନାରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ କିମ୍ବା ପ୍ରୟୋଗାତ୍ମକ ବିଦ୍ୟାର ଉପଯୋଗ ହୋଇପାରୁ ନଥିବା କାରଣରୁ ନା ଚାଷୀ ଉପକୃତ ହୋଇପାରୁଛନ୍ତି, ନା ଏହାକୁ ନେଇ ବ୍ୟବସାୟ କରୁଥିବା ଯୁବ ଉଦ୍ୟୋଗୀ ଏହାର ସେମିତି କିଛି ଫାଇଦା ହାସଲ କରିପାରୁଛନ୍ତି। ସେଥିପାଇଁ ଆଶାଜନକ ଭାବରେ ଓଡ଼ିଶାରେ କ୍ଷାର ଜଳରେ ମାଛଚାଷର ଉନ୍ନତି ହୋଇପାରୁନାହିଁ। ଯଦି ଏହାପ୍ରତି ବିଶେଷ ଧ୍ୟାନ ଦିଆଯିବ ଓ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ପ୍ରୋତ୍ସାହନ ଯୋଗାଇଦେବେ, ଓଡ଼ିଶା ମତ୍ସ୍ୟ ଉତ୍ପାଦନର ପ୍ରମୁଖ ରାଜ୍ୟ ଭାବରେ ପରିଗଣିତ ହେବ। ରାଜ୍ୟ ସରକାର ଯେଉଁ ବିଧିବ୍ୟବସ୍ଥା ଓ ନିୟମ ରଖିଛନ୍ତି, ତାହା କେବଳ ପାରମ୍ପାରିକ ମତ୍ସ୍ୟ ଚାଷ ପାଇଁ ଉପଯୁକ୍ତ ହୋଇପାରେ କିନ୍ତୁ ଆଜିର ଦିନରେ ସେ ଜ୍ଞାନକୌଶଳ କେବେ ଅଧିକ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ସାହାଯ୍ୟ କରିପାରିବ ନାହିଁ ବୋଲି କୁହନ୍ତି ଅଭିଷେକ। ଓଡ଼ିଶା ପାଇଁ ଯୁବସ୍ୱର ଭାବରେ ଆଶାର ଆଲୋକ ସାଜିପାରିଥିବା ଅଭିଷେକଙ୍କ ଆଖିରେ ଆଖିଏ ସ୍ୱପ୍ନ ଭରି ରହିଛି। ଯାହାକୁ ନେଇ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ଏଥିପାଇଁ ସେ ବିଭିନ୍ନ ଦେଶ ସହ ବ୍ୟବସାୟିକ ପରାମର୍ଶ ଉପସ୍ଥାପନା କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ମତ୍ସ୍ୟ ଉତ୍ପାଦନ ପ୍ରତି ମୁହଁ ଫେରାଇ ନେଇଥିବା ଚାଷୀଙ୍କୁ କିଭଳି ଉନ୍ନତ ଜ୍ଞାନ କୌଶଳ ପ୍ରଦାନ କରି ସେମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିପାରିବେ, ଅହରହ ସେହି ଚେଷ୍ଟାରେ ରହିଛନ୍ତି। ସେଥିପାଇଁ ସେ କେବଳ ନିଜର ବ୍ୟବସାୟ ନୁହେଁ ବରଂ ସାରା ଓଡ଼ିଶାର ମତ୍ସ୍ୟଚାଷୀ ଓ ଏହାକୁ ନେଇ ଉଦ୍ୟୋଗ ସ୍ଥାପନା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ କାର୍ଯ୍ୟଧାରା(ଏସ୍‌ଓପି)ପ୍ରସ୍ତୁତ କରିଛନ୍ତି। ଯାହାର କାର୍ଯ୍ୟକାରିତାକୁ ନେଇ ବେଶ ଆଶାବାଦୀ ଥିବାବେଳେ ସରକାର ଏହି କାର୍ଯ୍ୟପନ୍ଥାକୁ ତ୍ୱରାନ୍ୱିତ କରିବାକୁ ସହଯୋଗର ହାତ ବଢ଼ାଇଲେ, ଓଡ଼ିଶାରେ ବିଦେଶ କମ୍ପାନୀମାନଙ୍କର ପୁଞ୍ଜି ନିବେଶ କଷ୍ଟ ହୋଇ ନପାରେ ବୋଲି କହିଛନ୍ତି। ଓଡ଼ିଶାରେ ସାମୁଦ୍ରିକ ମାଛଚାଷ ପାଇଁ ଆବଶ୍ୟକ କରୁଥିବା ଜଳବାୟୁ ପ୍ରକୃଷ୍ଟ ଓ ଏହାର ସୁବିନିଯୋଗରେ କେବଳ ଚାଷୀ ନୁହେଁ ବରଂ ସରକାର ବେଶ ତତ୍ପର ହେବାର ଆବଶ୍ୟକତା ରହିଛି। ବିଦେଶରେ ଯେଉଁ ଚାହିଦା ସାମୁଦ୍ରିକ ମାଛକୁ ନେଇ ରହିଛି, ଏହାର ଉପଯୁକ୍ତ ପ୍ରଣାଳୀରେ ଉତ୍ପାଦନ ଓ ବ୍ୟବସାୟୀକରଣ କରାଯାଇପାରିଲେ, ସାରା ବିଶ୍ୱର ଦୃଷ୍ଟି ଓଡ଼ିଶା ଉପରେ ରହିବା ସହ ଅର୍ଥନୈତିକ ସ୍ୱାବଲମ୍ବୀ ହେବାରେ ବିଶେଷ କିଛି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ। ଆଗାମୀଦିନରେ ସେ ଏଭଳି ପଦକ୍ଷେପ ନେବା ସହ ଉତ୍ପାଦନର ଅଭିବୃଦ୍ଧିକୁ ଗମ୍ଭୀରତାର ସହ ଦୃଷ୍ଟି ଦିଅନ୍ତି ବୋଲି କୁହନ୍ତି। ଆଜିଯାଏ ସେ ଯେତିକି ବାଟ ଅତିକ୍ରମ କରିଆସିଲେଣି, ହଜାର ହଜାର ମତ୍ସ୍ୟଚାଷୀଙ୍କୁ ବେଶ ଲାଭବାନ କରାଇବା ସହ ଶହ ଶହ ହେକ୍ଟରରେ ନିଜ ପ୍ରଚେଷ୍ଟା ଓ ଚାଷୀଙ୍କ ସହଯୋଗରେ ଉନ୍ନତ ଉତ୍ପାଦନର ଉଦାହରଣ ସୃଷ୍ଟି କରି ପାରିଛନ୍ତି। ସେ ଆହୁରି ମଧ୍ୟ କୁହନ୍ତି, ସାମାଜିକ-ଅର୍ଥନୈତିକ ସୂଚେକାଙ୍କରେ ଓଡ଼ିଶାକୁ ଆଗାମୀ ଦଶବର୍ଷ ମଧ୍ୟରେ ଏକ ପ୍ରମୁଖ ସ୍ଥାନରେ ଦେଖିବାକୁ ହେଲେ, ସାମୁଦ୍ରିକ ମତ୍ସ୍ୟଚାଷକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଓଡ଼ିଶାର ଖଣିଜ ଶିଳ୍ପ ପରି ଯେଉଁ ସାମୁଦ୍ରିକ ଭିତ୍ତିଭୂମିକୁ ଆଧାର କରି ଓଡ଼ିଶା ନିଜର କାୟା ବିସ୍ତାର କରି ରହିଛି, ଏହାର ସଦୁପୋଯୋଗର ଆବଶ୍ୟକତା ରହିଛି। ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବାକୁ ସେ ଯେଉଁ ପ୍ରତିବେଦନ ସରକାରଙ୍କ ସହ ରଖିଛନ୍ତି, ଓଡ଼ିଶାକୁ ବୈଭବଶାଳୀ କରିବାକୁ ଅଧିକ କିଛି ସମୟ ଲାଗିବ ନାହିଁ।

୧-ଆପଣ ଉଚ୍ଚଶିକ୍ଷିତ ହୋଇ କାହିଁକି ଚାକିରି ନକରି ଉଦ୍ୟୋଗୀ ଭାବରେ ରିକ୍ସ ନେବାକୁ ଚାହିଁଲେ?

ଉ-ଚାକିରି ଏକ ସଂକୁଚିତ ପରିସର। ଯେଉଁଠି ମାସିକ ଦରମା ବ୍ୟତୀତ ଅନ୍ୟକିଛି କରିବାକୁ ଭାବିବାକୁ ସମୟ ନଥାଏ। ଅବଶ୍ୟ ଚାକିରିରେ କୌଣସି ରିକ୍ସ ନଥାଏ। ଏକ ନିର୍ଦ୍ଦିଷ୍ଟ ସରହଦରେ ରହି ଜୀବନକୁ ଚାରିସୀମା ଭିତରେ ବାନ୍ଧି ସୁଖୀ ହେବାକୁ ଜଣେ ଚେଷ୍ଟା କରିପାରେ କିନ୍ତୁ ନିଜ ବ୍ୟତୀତ ଦୁନିଆର ବ୍ୟାପକ ପରିସରକୁ ଦେଖିପାରେ ନାହିଁ କିମ୍ବା କିଛି କରିବାକୁ ଚାହିଁଲେ, କରିବାର ସମୟ କି ସୁଯୋଗ ନଥାଏ। ଏଣୁ ଭାବିଲି, ଚାକିରି ଭିତରେ ରହିଲେ, ନିଜ ସ୍ୱପ୍ନକୁ ସାକାର କରିବା କଷ୍ଟ ହେବ। ଏଣୁ ମୁଁ ଉଦ୍ୟୋଗୀ ଭାବରେ ଆଜି ଯେଉଁ ସ୍ଥାନରେ ପହଞ୍ôଚ ପାରିଛି, ନିଜେ ସ୍ୱାବଲମ୍ବୀ ହେବା ସହିତ ଅନେକଙ୍କୁ କର୍ମନିଯୁକ୍ତି ଯୋଗାଇ ପାରିଛି।

୨-ବିଶେଷ କିଛି ଭିତ୍ତିଭୂମି ନଥିବା ବିଭାଗରେ କାହିଁକି ବ୍ୟବସାୟ କରିବାକୁ ମନ ବଳାଇଲେ?

ଉ-ମୁଁ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ମତ୍ସ୍ୟ ବିଭାଗର ଛାତ୍ର ଭାବରେ ଅଧ୍ୟୟନ କରିବା ସମୟରୁ ଜାଣିଥିଲି, ଓଡ଼ିଶାରେ ମତ୍ସଚାଷ ନିମନ୍ତେ କେଉଁସବୁ ସୁବିଧାସୁଯୋଗ ରହିଛି। ଯାହାର ସୁବିନିଯୋଗ ଓଡ଼ିଶାର ଚାଷୀମାନେ କରିପାରୁ ନାହାନ୍ତି। ସେମାନଙ୍କ ପାଖରେ ଉପଯୁକ୍ତ ଜ୍ଞାନକୌଶଳ କିମ୍ବା ବ୍ୟବସାୟ କରିବା ପାଇଁ ଉପଯୁକ୍ତ ମାଧ୍ୟମ ନାହିଁ। ବିଶେଷ କିଛି ଭିତ୍ତିଭୂମି ମଧ୍ୟ ନାହିଁ। ପାରମ୍ପାରିକ ଭାବରେ ଯେଉଁମାନେ ମାଛ ଚାଷ କରୁଛନ୍ତି, ସେମାନେ ବିଶେଷ ଲାଭବାନ ହୋଇପାରୁ ନାହାନ୍ତି। ଫଳରେ ଓଡ଼ିଶାରେ ସବୁ କିଛି ଥାଇ ସୁଦ୍ଧା ଏହାର ବିନିଯୋଗ ହୋଇ ନପାରିବା ଓ ଓଡ଼ିଶାର ଶହ ଶହ ମତ୍ସ୍ୟଚାଷୀ ଏଥିପାଇଁ ବିଶେଷ କ୍ଷତିଗ୍ରସ୍ତ ହେବା ଭଳି ଘଟଣା ମୋତେ ଏହି ବ୍ୟବସାୟ କରିବାକୁ ଆହ୍ୱାନ ସୃଷ୍ଟି କଲା।

୩-ବ୍ୟକ୍ତି, ବ୍ୟବସ୍ଥା ଓ ସରକାର କାହାର ପ୍ରମୁଖ ଭୂମିକା ଏ ଦିଗରେ ରହିବା ଦରକାର?

ଉ-ସମସ୍ତଙ୍କର ସମାନ ଭୂମିକା ରହିଛି। ସରକାରୀ ହେଉ ବା ବେସରକାରୀ ବ୍ୟବସ୍ଥା, ଏହାର ଉପଯୁକ୍ତ ପଲିସି ଆଣିବା ଦରକାର। ସରକାରୀ ପଦକ୍ଷେପ ଅଧିକ କିଛି ପ୍ରୋତ୍ସାହନ ଯୋଗାଇ ପାରିବ। ଯଦି ସରକାର ଏହାର ଶତ ପ୍ରତିଶତ ପଦକ୍ଷେପ ନେଇପାରୁ ନାହାନ୍ତି, ତାହେଲେ ବେସରକାରୀ ବ୍ୟବସ୍ଥା ସହ ସହଭାଗିତା(ପିପିପି)କ୍ରମରେ କାର୍ଯ୍ୟକୁ ଆଗେଇ ନେଇପାରିବେ। ସରକାର ଯେଉଁସବୁ ପଲିସି ରଖିଛନ୍ତି, ତାହାର ସଂସ୍କାର ଆସିବା ଜରୁରୀ। ମତ୍ସ୍ୟ ଚାଷ ପ୍ରତି ବିମୁଖ ହେଉଥିବା ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ହେଲେ ଭିତ୍ତିଭୂମି ସହିତ ଆଧୁନିକ ଜ୍ଞାନକୌଶଳ ଓ ବଜାରୀକରଣ ପ୍ରତି ଗୁରୁତ୍ୱ ଦେବା ଦରକାର।

୪-ଯେଉଁସବୁ ଷ୍ଟାର୍ଟ ଅଫ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, କେତେ ସନ୍ତୁଷ୍ଟ ଆପଣ?

ଉ-ଷ୍ଟାର୍ଟ ଅଫ୍ ଓଡ଼ିଶା କାର୍ଯ୍ୟକ୍ରମ ଏକ ଅଭିନନ୍ଦନୀୟ କାର୍ଯ୍ୟକ୍ରମ। କିନ୍ତୁ ଏହାକୁ ସଫଳ କରିବାକୁ ହେଲେ ପ୍ରତି ବିଭାଗରେ ଯେଉଁସବୁ ଯୁବ ଉଦ୍ୟୋଗୀମାନେ ରହିଲେ ଓ ନୂଆ କିଛି କରିବାକୁ ଆଗେଇ ଆସିଛନ୍ତି, ସେମାନଙ୍କ ଠାରୁ ମଧ୍ୟ ସରକାର ସୁଚିନ୍ତିତ ମତାମତ ନେବା ଦରକାର। ସାର୍ବଜନୀନ ମତାମତକୁ ଗ୍ରହଣ କରିବା ସହ ବିଚାର କରି ବିଭାଗୀୟ ଅଧିକାରୀ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବା ଉଚିତ।

୫-ଆପଣଙ୍କ ସଫଳତାର ଶ୍ରେୟ କାହାକୁ ଦେବେ?

ଉ-ମୋ ଚଲାପଥରେ ସାଥୀ ହୋଇ ଚାଲୁଥିବା ମୋ ଧର୍ମପତ୍ନୀ ମିତାସ୍ମିତା ଦାଶ, ଭାଇ ଅଭିଳାଷ ଦ୍ୱିବେଦୀ ଓ ମୋ ସ୍ୱପ୍ନକୁ ଚରିତାର୍ଥ କରିବାକୁ ସହଯୋଗର ହାତ ବଢ଼େଇଥିବା ଓଡ଼ିଶାର ହଜାର ହଜାର ମତ୍ସ୍ୟ ଚାଷୀଙ୍କୁ ନିଶ୍ଚିତ ଭାବରେ ଶ୍ରେୟ ଦେବି।

Leave A Reply

Your email address will not be published.