ହକି ଇଣ୍ଡିଆ ଲିଗ 2025-26 : କଳିଙ୍ଗରେ ଲାନ୍ସର୍ସ କମାଲ
Hockey india league : kalinga lancers wins second title
ଭୁବନେଶ୍ୱର : 2017 ପରେ 2026। ଦ୍ଵିତୀୟ ଥର ପାଇଁ ହକି ଇଣ୍ଡିଆ ଲିଗ ଟାଇଟେଲ ହାତେଇଲା ଲାନ୍ସର୍ସ ଟିମ।ଫାଇନାଲରେ ୩-୨ ଗୋଲରେ ରାଞ୍ଚି ରୟାଲସକୁ ହରାଇ ହକି ଇଣ୍ଡିଆ ଲିଗ ଟାଇଟଲ ହାତେଇଲା ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ମ୍ୟାଚ ଆରମ୍ଭରୁ ହିଁ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲା ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ମ୍ୟାଚ ଆରମ୍ଭରୁ ମାତ୍ର ୪ ମିନିଟରେ ଏକ ପେନାଲଟି ଗୋଲ ଦେଇ ୧-୦ ରେ ଆଗୁଆ ରହିଥିଲା କଳିଙ୍ଗ ଲାନ୍ସର୍ସ। ପରେ ରଞ୍ଚି ପକ୍ଷରୁ ୯ ମିନିଟ ସୁଦ୍ଧା ଏକ ସୁନ୍ଦର ଫିଲଡ଼ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ ଅରାଇଜିତ ସିଂ ହୁଣ୍ଡାଲ। ଦ୍ଵିତୀୟ କ୍ୱାର୍ଟରରେ ପଛକୁ ପଛ ୩ଟି ପେନାଲଟି ସୁଯୋଗରୁ ଗୋଟିଏ ଗୋଲ କରିଥିଲା କଳିଙ୍ଗ ଲାନ୍ସର୍ସ। ଦିଲପ୍ରୀତ ସିଂଙ୍କ ଏହି ଗୋଲ ବଳରେ ଦଳ ୨-୧ ରେ ପହଞ୍ଚିଥିଲା। ପରେ ପୁଣି ଦୁଇଟି ବ୍ୟାକ ଟୁ ବ୍ୟାକ ପେନାଲଟିରୁ ଗୋଟିଏ ଗୋଲ କରି ଦଳକୁ ୩-୧ ରେ ଆଗୁଆ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲଟି ସୁଯୋଗ ହାତଛଡା କରିଥିଲେ। ଶେଷ କ୍ୱାର୍ଟର ତଥା ୫୧ ମିନିଟରେ ରାଞ୍ଚି ରୟାଲସ ବ୍ୟାକ ଟୁ ବ୍ୟାକ ଦୁଇଟି ପେନାଲଟି ସୁଯୋଗ ହାତଛଡା କରିଥିଲା। ଶେଷ କ୍ୱାର୍ଟରରେ ରାଞ୍ଚିକୁ ୫ ଟି ପେନାଲଟି ସୁଯୋଗ ମିଳିଥିଲେ ବି ମାତ୍ର ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା ଦଳ। ଶେଷରେ ୩-୨ ରେ ଟାଇଟଲ ଜିତିଲା ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ଦଳ ଟ୍ରଫି ଜିତିବା ପରେ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।