ଶୁଭଶ୍ରୀ ମଙ୍ଗରାଜ: ମୋ ବ୍ୟାନରରେ ଗୁଣାତ୍ମକ ଓ ଭଲ ବିଷୟବସ୍ତୁ ଥିବା ସିନେମା ତିଆରି ହେବା ଚାହିଁବି

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ଦୃଷ୍ଟିକୋଣ ଓ ଦୃଢ଼ ଇଚ୍ଛାଶକ୍ତିର ସମ୍ମିଳନ, ଶୁଭଶ୍ରୀ ମଙ୍ଗରାଜଙ୍କ ସଫଳ ଯାତ୍ରା

0

ମଣିଷର ଇଚ୍ଛାଶକ୍ତି ଯଦି ଦୃଢ଼ ଥାଏ, କୌଣସି ବାଧାବନ୍ଧନ ତାକୁ ଅଟକେଇ ପାରେନାହିଁ। ଅନେକ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ମଧ୍ୟ ନିଜର ଦୃଢ଼ମନା ପାଇଁ ସଫଳତାର ଶୀର୍ଷରେ ପହଞ୍ଚିବା ସମ୍ଭବ ହୋଇଥାଏ। ନିଜର ସ୍ୱପ୍ନ ପୂରଣ କରିବା ଓ ସମାଜରେ ଉଦାହରଣ ସୃଷ୍ଟି କରିବା ଭଳି ଅନେକ ଓଡ଼ିଆ ମହିଳା ରହିଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଆଇକନ୍ ହୋଇ ଛିଡ଼ା ହୋଇଥାନ୍ତି। ସେହିଭଳି ଜଣେ ଉଦ୍ୟମୀ ଉଚ୍ଚଶିକ୍ଷିତା ମହିଳା ହେଲେ ଶୁଭଶ୍ରୀ ମଙ୍ଗରାଜ। ସେ ଇଞ୍ଜିନିୟରିଂରେ ସ୍ନାତକଡିଗ୍ରୀ। ନିଜର ପ୍ୟାସନ ପାଇଁ ଫିଲ୍ମ ଦୁନିଆରେ ପ୍ରଯୋଜକ ଭାବରେ ସାମିଲ ହୋଇଛନ୍ତି। ନିକଟରେ ରିଲିଜ୍ ହେବାକୁ ଥିବା ଫିଲ୍ମ ଜୟହିନ୍ଦ୍ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିବା ସହ ଆକାଶ ଦାସ ନାୟକଙ୍କୁ ନାୟକ ଭାବରେ ନେଇ ନିଜ ମନ ଭିତରେ ଥିବା କାହାଣୀକୁ ରୂପ ଦେଇପାରିଛନ୍ତି ବୋଲି କୁହନ୍ତି। ତାଙ୍କ ଫିଲ୍ମରେ ମୁଖ୍ୟ ଚରିତ୍ର ନିଭାଇଥିବା ଆକାଶ ଦାସ ନାୟକ ହିଁ ଏ.ସି.ପି ଜୟ ଭୂମିକା ଦର୍ଶକଙ୍କ ପ୍ରଥମ ପସନ୍ଦ ରହିବ ବୋଲି କହିଛନ୍ତି। ଦର୍ଶକଙ୍କ ହୃଦୟକୁ ଜୟ କଲା ଭଳି ନିର୍ମାଣ କରି ବେଶ ଖୁସି ଥିବା କଥା ବ୍ୟକ୍ତ କରିଛନ୍ତି।

୧. ଆପଣ ଫିଲ୍ମ ପ୍ରଯୋଜନା ପାଇଁ କାହିଁକି ମନ ବଳାଇଲେ?
ମୋର ଇଚ୍ଛା ଥିଲା ଓଡ଼ିଆରେ ଭଲ ସିନେମାଟିଏ ତିଆରି କରିବି, ଯାହା ମୋର ପ୍ୟାସନ୍ ହେବ। କହିଦେଲେ ତ ହେବନାହିଁ, ଯାହାପାଇଁ ଗୋଟିଏ ଭଲ ଚେଷ୍ଟା ଆବଶ୍ୟକ। ମୁଁ ସେଥିପାଇଁ ନିଜ ଦୃଢ ଇଚ୍ଛାଶକ୍ତି ସହ ଏହି ଅଭିଯାନ ଆରମ୍ଭ କଲି।

୨. ଆଗାମୀ ଫିଲ୍ମକୁ ନେଇ କେତେ ଖୁସି ଅଛନ୍ତି?
ଅତ୍ୟନ୍ତ ଖୁସି ଅଛି। ଏହା ଗୋଟିଏ ପ୍ରୋଜେକ୍ଟ ନୁହେଁ, ଏହା ମୋର ସ୍ୱପ୍ନ ଓ ଅନୁଭୂତିର ପରିଚୟ।

୩. ଜଣେ ମହିଳାଙ୍କ ପାଇଁ ପ୍ରଯୋଜନା କେତେ ଚ୍ୟାଲେଞ୍ଜ?
ଚ୍ୟାଲେଞ୍ଜ ଅଛି, କିନ୍ତୁ ଆଜିର ଯୁଗ ମହିଳାଙ୍କ ପାଇଁ ବଢ଼ିଆ ସୁଯୋଗ ନେଇଆସିଛି। ଯଦି ଦୃଢ ମନୋବଳ ଓ ସ୍ପଷ୍ଟ ଭିଜନ ଥାଏ, ତେବେ କିଛି ଅସମ୍ଭବ ନୁହେଁ।

୪. ଓଡ଼ିଆ ଫିଲ୍ମର ଗୋଟେ ଭଲ ସମୟ ଆସିଛି, ଏହି ଫିଲ୍ମ ଜରିଆରେ ଆପଣଙ୍କ ଭାଗୀଦାରୀ କେତେ ରହିବ?
ମୁଁ ଚେଷ୍ଟା କରିଛି ଯେ ଏହି ଫିଲ୍ମ ଦ୍ୱାରା ଏକ ନୂଆ ମାନକ ସ୍ଥାପିତ କରିପାରିବି। ଭାଗୀଦାରୀ କେବଳ ଧନରେ ନୁହେଁ, ଭାବନାରେ ଓ ଦୃଷ୍ଟିକୋଣରେ ମଧ୍ୟ ଅଛି।

୫. ଆପଣଙ୍କର ଯାତ୍ରା ପଛରେ ବଡ଼ ସହଯୋଗୀ କିଏ?
ମହାକାଳୀଙ୍କର ଆଶୀର୍ବାଦ ସହିତ ମୋ ବାବା, ମୋ ପରିବାର, ମୋ ବଡ଼ ଭାଇ ଆକାଶ ଦାସ ନାୟକଙ୍କ ଶୁଭେଚ୍ଛା ରହିଛି। ବିଶ୍ୱାସଟିଏ ରଖୁଥିବା ଦର୍ଶକମାନେ, ସେମାନେ ମୋର ପଛରେ ଅଦୃଶ୍ୟ ଶକ୍ତି।

୬. ଭବିଷ୍ୟତରେ ନିଜ ପ୍ରଡ଼କ୍ସନକୁ ବ୍ୟାନର କରିବାକୁ ଅଧିକ ଫିଲ୍ମ କରିବାକୁ ଯୋଜନା ରଖିଛନ୍ତି କି?
ହଁ, ନିଶ୍ଚିତ ଭାବରେ ରଖିଛି। ମୁଁ ଚାହେଁ ଯେ ମୋ ବ୍ୟାନରରେ ଗୁଣାତ୍ମକ ଓ ଭଲ ବିଷୟବସ୍ତୁ ଥିବା ସିନେମା ତିଆରି ହେଉ।

୭. ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବା କେତେ ଆଶାବାଦୀ?
ମୁଁ ଏକଦମ ଆଶାବାଦୀ। ଯେତେବେଳେ ହୃଦୟରୁ କିଛି କରାଯାଏ, ତାହାର ପ୍ରଭାବ ଦର୍ଶକମାନେ ଅନୁଭବ କରନ୍ତି।

୮. ନିଜେ ମନ ବଳାଇଲେ ନା ଆଉ କିଏ ଆପଣଙ୍କୁ ପ୍ରଯୋଜନା ପାଇଁ ପ୍ରସ୍ତାବ ଦେଲେ?
ଏହି ଯାତ୍ରା ମୋର ବାବାଙ୍କର ବଡ଼ ସହଯୋଗ ଆଉ ଅନ୍ତଃପ୍ରେରଣାରୁ ଆରମ୍ଭ ହୋଇଛି। ତା’ପରେ ମୋର ଇଚ୍ଛା ଥିଲା ଓ ଓଡ଼ିଆ ଫିଲ୍ମ ପ୍ରତି ଭଲ ପାଇବା ଥିଲା ବୋଲି ଭାବିଲି ଏଇ ଲାଇନ୍‌କୁ ଆସି ମୋର ସ୍ୱପ୍ନକୁ ପୂରଣ କରିବି, ନିଜର ପ୍ୟାସନକୁ ସ୍କ୍ରିନ୍ ଉପରେ ଦେଖିବି।

୯. ଓଡ଼ିଆ ଫିଲ୍ମର ବ୍ୟବସାୟିକ ସଫଳତା ପାଇଁ କଣସବୁ କରାଯିବା ଦରକାର?
ଗୁଣାତ୍ମକମାନର କାହାଣୀ, ନିପୁଣ ନିର୍ଦ୍ଦେଶନା, ଟିକନିକ୍ ପର୍ଯ୍ୟବେକ୍ଷଣ, ଠିକ୍ ମାର୍କେଟିଂ ଏହାର ମୁଖ୍ୟ ଅଂଶ। ସେଥିପାଇଁ ସମସ୍ତଙ୍କ ସାମୁହିକ ପ୍ରୟାସ ଦରକାର।
୧୦. ଦର୍ଶକମାନଙ୍କୁ କଣ କହିବେ?

ଆପଣମାନେ ଥିଲେ ଏହି ଯାତ୍ରା ସଫଳ। ଓଡ଼ିଆ ସିନେମାକୁ ଆଗକୁ ନେବା ପାଇଁ ଆପଣଙ୍କ ସମର୍ଥନ ଅତ୍ୟନ୍ତ ଦରକାର। ଦୟାକରି ଦେଖନ୍ତୁ, ସେୟାର କରନ୍ତୁ ଓ ଗର୍ବ ଅନୁଭବ କରନ୍ତୁ।

Leave A Reply

Your email address will not be published.