ଶ୍ରୀହରି ମୋସନ ପିକ୍ଚର୍ସ ବ୍ୟାନରରେ ଶ୍ରୀ ସୁଶାନ୍ତ ମହାନ୍ତିଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ଚଳଚ୍ଚିତ୍ର ‘ଲାଇନ୍ବାଲା’ ଏକ ସତ୍ୟ ଏବଂ ଜୀବନର ଗତାନୁଗତିକ କାହାଣୀକୁ ନେଇ ସୁଟିଂ ଫ୍ଲୋରକୁ ଯାଇଛି । ପୂର୍ବରୁ ଜଣେ ଡାକ୍ତରଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ଓଲିଉଡ଼ ରେ ଚହଳ ସୃଷ୍ଟି କରିଥିଲା । ଠିକ ସେହିପରି ଏକ ନିଚ୍ଛକ କାହାଣୀକୁ ନେଇ ନିର୍ମାଣ ହେଉଛି ‘ଲାଇନ୍ବାଲା’ । ସୁଶାନ୍ତ ମହାନ୍ତି କାହାଣୀ ରଚନା କରିଥିବା ବେଳେ ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ବହୁ ଅଭିଜ୍ଞ ନିର୍ଦ୍ଦେଶକ ନିରଞ୍ଜନ ବେହେରା l ଓଲିଉଡ଼ର ଟ୍ରେଣ୍ଡିଂ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ।

ଅଭିନେତା ସମ୍ବିତ ଆଚାର୍ଯ୍ୟ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସୁଛନ୍ତି ସ୍ବପ୍ନା ପ୍ରିୟଦର୍ଶିନୀ। ତାଙ୍କ ବ୍ୟତୀତ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଅଶ୍ରୁମୋଚନ ମହାନ୍ତି, ଦେବୁ ବ୍ରହ୍ମା, ପ୍ରତିଭା ପଣ୍ଡା ଙ୍କ ସମେତ ଆହୁରି ଅନେକ କଳାକାର । କାର୍ଯ୍ୟନିର୍ବାହୀ ପ୍ରଯୋଜକ ତଥା ପବ୍ଲିସିଟି ଡିଜାଇନ୍ ଦାୟିତ୍ୱରେ ଭରତ ପ୍ରଧାନ ରହିଛନ୍ତି। ଭୁବନେଶ୍ୱର, କଟକର ଅନେକ ସ୍ଥାନରେ ସୁଟିଂ ହେବା ସହିତ କିଛି ଦୃଶ୍ୟ ଓଡିଶା ବାହାରେ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l ଆମର ଦୈନନ୍ଦିନ ଜୀବନରେ ସେବା ଯୋଗାଇବା ପାଇଁ ଯେଉଁ ସବୁ ପବ୍ଲିକ ସର୍ଭେଣ୍ଟ କାମ କରିଥାନ୍ତି ସେମାନେ ନିଜ ଜୀବନକୁ ବାଜି ଲଗେଇବାକୁ ପଛଘୁଞ୍ଚା ଦେଇନଥାନ୍ତି, ହେଲେ କେବେ ଥରେ ଆମେ ତାଙ୍କ ବ୍ୟକ୍ତିଗତ ଜୀବନ କଥା ଭାବି ନଥାଉ । ସେହି ଭଳି ଏକ ନିଚ୍ଛକ କାହାଣୀକୁ ନେଇ ନିର୍ମାଣ ହେଉଥିବା ଚଳଚ୍ଚିତ୍ର ” ଲାଇନ୍ବାଲା” ର କାହାଣୀ ଆଗକୁ ଦର୍ଶକ ଜାଣିବାକୁ ପାଇବେ ।

ତେବେ ଓଲିଉଡ଼କୁ ଭଲ ସିନେମା ଦେବାରେ ଯେଉଁ ପ୍ରଯୋଜକମାନେ ଆଶା କରିଛନ୍ତି ସେହି ପ୍ରଯୋଜକ ମାନଙ୍କୁ ସାଧୁବାଦ ଜଣେଇବା ସହିତ ‘ଲାଇନ୍ବାଲା’ କୁ ଆଗାମୀ ଦିନରେ ଦର୍ଶକଙ୍କ ଢେର ଭଲ ପାଇବା ଦେବେ ବୋଲି ଆଶା କରିବା ।