ଭୁବନେଶ୍ୱରରେ ଅର୍ବାନ୍‌ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଉଦଘାଟିତ

Urban Mobility India Conference inaugurated in Bhubaneswar

0

ଭୁବନେଶ୍ୱରରେ ଅର୍ବାନ୍‌ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଉଦଘାଟିତ

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଭୁବନେଶ୍ୱରରେ ଆଜି ଉନବିଂଶତମ ‘ଅର୍ବାନ ମୋବିଲିଟି ଇଣ୍ଡିଆ’ (ୟୁଏମଆଇ) ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍‌ଘାଟନ କରିଛନ୍ତି ।ଏହି ଦୁଇଦିନିଆ ସମ୍ମିଳନୀକୁ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ପକ୍ଷରୁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ ଟ୍ରାନ୍ସପୋର୍ଟ (ଇଣ୍ଡିଆ)’ ମାଧ୍ୟମରେ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜନ କରାଯାଇଛି ।

ଉଦ୍‌ଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର; ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ; ଭାରତ ସରକାରଙ୍କ ଏମଓଏଚୟୁଏ ଅଧୀନ ନଗର ଉନ୍ନୟନ ବିଭାଗର ସଚିବ ସତେନ୍ଦ୍ର ସିଂହ; ଏବଂ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ମେଟ୍ରୋ ରେଳ କମ୍ପାନୀ ଓ ପରିବହନ ସଂସ୍ଥାର ପ୍ରତିନିଧି, ଶିଳ୍ପ କ୍ଷେତ୍ରର ବିଶେଷଜ୍ଞ ଏବଂ ଶିକ୍ଷାବିତ୍‌ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

 

‘‘ଡିଜିଟାଲ୍ ଯୁଗରେ ସହରାଞ୍ଚଳ ସୁଗମତା ଏବଂ ବାସଯୋଗ୍ୟତା’’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଏହା ଉଦୀୟମାନ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସହରାଞ୍ଚଳ ସୁଗମତା, ସମନ୍ୱିତ ପରିବହନ ଭିତ୍ତିଭୂମି ଏବଂ ସହରାଞ୍ଚଳ ଜୀବନର ଗୁଣବତ୍ତା ଉନ୍ନତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ଏହି ଆଲୋଚନାରେ ଦୀର୍ଘସ୍ଥାୟୀ ଏବଂ ପ୍ରଦୂଷଣମୁକ୍ତ ସାର୍ବଜନୀନ ପରିବହନ, ବାଧାମୁକ୍ତ ବହୁମୁଖି ସମନ୍ୱୟ, ପ୍ରଥମ ଏବଂ ଶେଷ ମାଇଲ୍ ସଂଯୋଗ, ଟ୍ରାଫିକ୍ ଭିଡ଼ ଓ ଅଙ୍ଗାରକାମ୍ଳ ହ୍ରାସ ଏବଂ ସହରଗୁଡ଼ିକୁ ଅଧିକ ସୁଗମ, ସମାବେଶୀ ଓ ବାସଯୋଗ୍ୟ କରିବାରେ ଡିଜିଟାଲ୍ ପ୍ରଯୁକ୍ତିର ଭୂମିକାକୁ ସାମିଲ କରାଯାଇଛି ।

 

ୟୁଏମଆଇ ସମ୍ମିଳନୀ ହେଉଛି ଜାତୀୟ ସହରାଞ୍ଚଳ ପରିବହନ ନୀତି (ଏନୟୁଟିପି), ୨୦୦୬ ଅନ୍ତର୍ଗତ ଏମଓଏଚୟୁଏର ଏକ ବାର୍ଷିକ ପଦକ୍ଷେପ। ଏହି ନୀତି ରାଜ୍ୟ ଓ ସହର ସ୍ତରରେ କ୍ଷମତା ନିର୍ମାଣ ଏବଂ ସମାନ ତଥା ଦୀର୍ଘସ୍ଥାୟୀ ସହରାଞ୍ଚଳ ପରିବହନ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱାରୋପ କରେ। ଏହି ସମ୍ମିଳନୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ସମାଧାନ ବାଣ୍ଟିବା ପାଇଁ ଏକ ମଞ୍ଚ ପ୍ରଦାନ କରେ ।

 

ଉଦ୍‌ଘାଟନୀ ଅଧିବେଶନରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ କହିଥିଲେ, ସହରାଞ୍ଚଳ ପରିବହନ ବ୍ୟବସ୍ଥାର ଭବିଷ୍ୟତ ଗଢ଼ିବାରେ ୟୁଏମଆଇ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ମଞ୍ଚ ଭାବରେ ଉଭା ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ସହରାଞ୍ଚଳ ବିକାଶର ପ୍ରକୃତ ଅଗ୍ରଗତିକୁ ଏହି ଆଧାରରେ ମାପିବା ଉଚିତ ଯେ, ମହିଳା, ଶିଶୁ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମେତ ସମସ୍ତ ନାଗରିକ ସହର ଭିତରେ କେତେ ସୁରକ୍ଷିତ, ଆରାମଦାୟକ ଏବଂ ସ୍ୱାଧୀନ ଭାବରେ ଯାତାୟାତ କରିପାରୁଛନ୍ତି ।

 

ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଥିଲେ, “ସହରୀ ଗତିଶୀଳତା କେବଳ ପରିବହନ ନୁହେଁ, ଏହା ଆମର ନାଗରିକଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବା ଏବଂ ସହରଗୁଡ଼ିକୁ ଅଧିକ ସୁଲଭ, ସମାବେଶୀ ଓ ଦୀର୍ଘସ୍ଥାୟୀ କରିବା ଉପରେ ଆଧାରିତ । ଓଡ଼ିଶାର ସହର ସଂଖ୍ୟା ବୃଦ୍ଧି ପାଇବା ସହିତ ନିରାପଦ, ନିର୍ଭରଯୋଗ୍ୟ, ସୁଲଭ ଏବଂ ଲୋକ-କେନ୍ଦ୍ରିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ବିକଶିତ କରିବା ଉପରେ ଧ୍ୟାନ ଦିଆଯାଉଛି ଯାହା ନାଗରିକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବ ।

 

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ, ଓଡ଼ିଶା ସରକାର ଏଇଟ୍‌ ଏସ୍‌ ଆଭିମୁଖ୍ୟ ସହିତ ସହରାଞ୍ଚଳ ପରିବହନକୁ ବଦଳାଇବା ପାଇଁ ସଂକଳ୍ପବଦ୍ଧ ରହିଛି । ଏହି ଆଭିମୁଖ୍ୟ ହେଲା-ସେବା ଉପଲବ୍ଧତା ଓ ଭରସାଯୋଗ୍ୟତା, ସ୍ମାର୍ଟ ପରିବହନ, ଦୀର୍ଘସ୍ଥାୟିତ୍ୱ, ପ୍ରଣାଳୀ ବା ସିଷ୍ଟମ, ସୁରକ୍ଷା, ସୁଗମତା, ସମାବେଶୀତା ଓ ସନ୍ତୋଷ । ଆଠଟି ସହରରେ ସେବା ଯୋଗାଇ ଦେଉଥିବା ପ୍ରାୟ ୮୦୦ ବସ୍ ସହିତ କ୍ରୁଟ୍‌ ଡିଜିଟାଲ୍ ଟିକେଟିଂ, ମହିଳା ଡ୍ରାଇଭରଙ୍କ ଅଧିକ ଅଂଶଗ୍ରହଣ ଏବଂ ଉନ୍ନତ ଯାତ୍ରୀ ସୁବିଧା ମାଧ୍ୟମରେ ସାଧାରଣ ପରିବହନକୁ ସୁଦୃଢ଼ ​​କରୁଛି। ଇଭି ଭିତ୍ତିଭୂମି ବିସ୍ତାର କରିବା ସହିତ ଆମର ଧ୍ୟାନ ଏକ ସମନ୍ୱିତ, ସମାବେଶୀ ଏବଂ ସ୍ଥାୟୀ ଗତିଶୀଳତା ଇକୋସିଷ୍ଟମ ନିର୍ମାଣ ଉପରେ ରହିଛି ଯାହା ସାଧାରଣ ପରିବହନକୁ ସମସ୍ତଙ୍କ ପାଇଁ ସୁରକ୍ଷିତ, ସ୍ମାର୍ଟ ଏବଂ ସୁଗମ କରିଥାଏ।’’

 

ଏହା ପୂର୍ବରୁ, ବିଶିଷ୍ଟ ଅତିଥି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ଅବସରରେ, ଏମଓଏଚଓୟୁଏ ସହର ବିକାଶ ବିଭାଗ ସଚିବ ସତେନ୍ଦ୍ର ସିଂହ କହିଥିଲେ,, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ୟୁଏମଆଇ ସମ୍ମିଳନୀ ୨୦୦୮ ମସିହାରେ ଆରମ୍ଭ ହେବା ପରଠାରୁ ସହରୀ ପରିବହନ କ୍ଷେତ୍ରରେ ଉତ୍ତମ ଅଭ୍ୟାସଗୁଡ଼ିକର ବିନିମୟ ଏବଂ ବିଭିନ୍ନ ଆହ୍ୱାନର ମୁକାବିଲା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମଞ୍ଚରେ ପରିଣତ ହୋଇଛି। ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ୧୫ଶହରୁ ଅଧିକ ପ୍ରତିନିଧି ଭାଗ ନେଇଛନ୍ତି ।

ସମ୍ମିଳନୀର ଅଂଶବିଶେଷ ସ୍ୱରୂପ ଅତିଥିଙ୍କ ଦ୍ୱାରା ଏକ ପ୍ରଦର୍ଶନୀ ମଧ୍ୟ ଉଦଘାଟନ ହୋଇଛି । ଭାରତ ଓ ବିଦେଶରୁ ସହରୀ ପରିବହନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସେବା ଏବଂ ଅଭିନବ ଗମନାଗମନ ସମାଧାନଗୁଡ଼ିକ ଏଥିରେ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାର, ମେଟ୍ରୋ ରେଳ କମ୍ପାନୀ, ସାର୍ବଜନୀନ କ୍ଷେତ୍ରର ସଂସ୍ଥା ଏବଂ ଘରୋଇ କ୍ଷେତ୍ରର ପ୍ରତିଷ୍ଠାନଗୁଡ଼ିକର ପ୍ରତିନିଧିଙ୍କ ସମେତ ମୋଟ ୨୮ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.