୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି: ଭିତ୍ତିଭୂମି ବିକାଶ, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ ଗୁରୁତ୍ୱ
Early Preparations for the 2027 Rath Yatra: Focus on Infrastructure Development, Crowd Control, and Security
୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି: ଭିତ୍ତିଭୂମି ବିକାଶ, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ ଗୁରୁତ୍ୱ
ଭୁବନେଶ୍ୱର: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ଭିତ୍ତିଭୂମି ବିକାଶ, ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରା ପୂର୍ବରୁ ଆବଶ୍ୟକ ନିର୍ମାଣ, ମରାମତି ଓ ଦୀର୍ଘମିଆଦୀ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ଆଲୋଚନା ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ ୨୦୨୭ ରଥଯାତ୍ରା ସମ୍ପର୍କିତ ତାରିଖ ଓ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ଫେବୃଆରୀ ୧୧ରେ ରଥକାଠ ଅନୁକୂଳ ପୂଜାଠାରୁ ଆରମ୍ଭ କରି ଜୁଲାଇ ୫ରେ ଶ୍ରୀଗୁଣ୍ଡିଚା ଯାତ୍ରା, ଜୁଲାଇ ୧୩ରେ ବାହୁଡ଼ା ଯାତ୍ରା, ଜୁଲାଇ ୧୪ରେ ସୁନାବେଶ ଏବଂ ଜୁଲାଇ ୧୬ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବା ସମ୍ପର୍କରେ ବୈଠକରେ ଅବଗତ କରାଯାଇଥିଲା।
ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହେବ। ପୂର୍ବ ରଥଯାତ୍ରାରୁ ୧୦୦ ଖଣ୍ଡ କାଠ ରହିଥିବାରୁ ଅବଶିଷ୍ଟ ୭୬୫ ଖଣ୍ଡ କାଠ ସଂଗ୍ରହ ସହ ଚାରମାଳ ପାଇଁ ଅତିରିକ୍ତ ତାଳଗଛ କାଠର ବ୍ୟବସ୍ଥା କରାଯିବ। ଏଥିପାଇଁ ନୟାଗଡ଼ ବନଖଣ୍ଡ ସହ ଯୋଗାଯୋଗ କରାଯିବ।
ଯାତାୟାତ ସୁଗମ କରିବା ପାଇଁ ବୀରହରେକୃଷ୍ଣପୁର-ବାଲିଘାଟ ରାସ୍ତାର ମରାମତି, ପ୍ରମୁଖ ସଂଯୋଗକାରୀ ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ବଡ଼ଦାଣ୍ଡ ନିକଟରୁ ଜବରଦଖଲ ଉଚ୍ଛେଦ, ଉଠାଦୋକାନୀଙ୍କୁ ହଟାଇବା, ବହୁତଳ ପାର୍କିଂ ଓ ହାଲୁକା ଯାନ ପାଇଁ ପାର୍କିଂ ସୁବିଧା ବିକାଶ ନେଇ ମଧ୍ୟ ଆଲୋଚନା ହୋଇଛି। ୨୦୨୭ ରଥଯାତ୍ରା ପୂର୍ବରୁ ପୁରୀ ରେଳ ଷ୍ଟେସନର ନୂତନ କୋଠା ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟସେବା ପାଇଁ ମାଳତୀପାଟପୁର ବସ୍ଷ୍ଟାଣ୍ଡରେ ଅସ୍ଥାୟୀ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନୂତନ କୋଠାକୁ ସ୍ଥାନାନ୍ତର, ରୋଗୀ ପରିବହନ ପାଇଁ ସ୍ୱତନ୍ତ୍ର କରିଡର ଓ ସ୍ୱେଚ୍ଛାସେବୀଙ୍କୁ ଆଗୁଆ ଚିହ୍ନଟ କରି ତାଲିମ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଗ୍ନିଶମ ସେବା, ଜଳକ୍ରୀଡ଼ା ଓ ସମୁଦ୍ରକୂଳ ସୁରକ୍ଷା, ପାନୀୟ ଜଳ, ପରିମଳ, ଆବର୍ଜନା ପରିଚାଳନା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ନେଇ ମଧ୍ୟ ଆଲୋଚନା ହୋଇଛି।
ଭିଡ଼ ନିୟନ୍ତ୍ରଣ ଓ ଜରୁରୀ ସୂଚନା ପ୍ରସାର ପାଇଁ ୨୨ରୁ ୨୫ଟି ଅସ୍ଥାୟୀ ଟେଲିକମ୍ ଟାୱାର ସ୍ଥାପନ ଏବଂ ଇଣ୍ଟିଗ୍ରେଟେଡ୍ କମାଣ୍ଡ ସେଣ୍ଟରର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପ୍ରସ୍ତାବ ରହିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।