ଭୁବନେଶ୍ୱର : ଆଉ ନାହାନ୍ତି କଣ୍ଠ ଶିଳ୍ପୀ ତଥା ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର। ଦୀର୍ଘ ଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସା ହେବା ପରେ 54 ବର୍ଷରେ ଆଖି ବୁଜିଛନ୍ତି ଅଭିଜିତ। ଦୀର୍ଘ ଦିନ ହେବ ଲିଭର ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ ସେ। ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଦାଦା ଭାବରେ ପରିଚିତ ଏହି ସଂଗୀତ ନିର୍ଦେଶକ ଓଡ଼ିଆ ସଂଗୀତ ଜଗତ ପାଇଁ ଭେଟି ଦେଇଛନ୍ତି ଅନେକ ହିଟ ଗୀତ. ପୂଜା ଭଷାଣି ହେଉ କି ମେଳା ମହୋତ୍ସବ ସବୁଠାରେ ଶୁଣିବାକୁ ମିଳୁଥିଲା ତାଙ୍କର ସ୍ୱର। ଏମିତି କି ନିର୍ବାଚନୀ ଗୀତ ପାଇଁ ବି ବେଶ ଲୋଡ଼ା ପଡ଼ନ୍ତି ଦାଦା । ଓଡ଼ିଆ ସଂଗୀତ ଜଗତର ସେ ମେଲୋଡି କିଙ୍ଗ ଭାବେ ପରିଚିତ ଥିବା ସହ ଅନେକ ଦଶନ୍ଧି ଧରି ନିଜ ଗୀତରେ ବାନ୍ଧି ରଖିଥିଲେ ଓଡ଼ିଆ ଦର୍ଶକଙ୍କୁ। ସମ୍ବଲପୁରୀ ଗୀତରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ ମଜୁମଦାର ଅନେକ ଆଲବମ ଏବଂ ସିନେମା ଗୀତରେ କରିଛନ୍ତି କାର୍ଯ୍ୟ। ସିନେମା କାଶିଆ କପିଳାରେ ଦେଖାଇଥିଲେ ନିଜ ଯାଦୁଗରୀ । ପରେପରେ ରଖିବ ଯଦି ମାରିବ କିଏ, ତୋ ବିନା ଭଲ ଲାଗେନା, ଶଶୁର ଘର ଜିନ୍ଦାବାଦ ଆଦି ସିନେମା ତାଙ୍କ ଗୀତ ପାଇଁ ସାଜିଥିଲା ବିରାଟ ମାଇଲଖୁଣ୍ଟ । ତୁ ଥା ମୁଁ ଯାଉଛି ରୁଷି ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଆନ୍ତି ଦାଦା । ପରେପରେ ତାଙ୍କ ଗୀତକୁ ମ୍ୟାଚ କଲା ଭଳି ବ୍ୟାକ ଟୁ ବ୍ୟାକ ସିନେମା ଆସେ ବାଳୁଙ୍ଗା ଟୋକା, ମ୍ୟାଟ୍ରିକ ଫେଲ, ରଙ୍ଗିଲା ଟୋକା, ଲଭ ମାଷ୍ଟର ଓ ଜଗୁ ଅଟୋବାଲା, ଚଉକା ଛକା, ଡାହା ବାଳୁଙ୍ଗା, ଆମେ ତ ଟୋକା ଷଣ୍ଢ ମାର୍କା, ଭଳି ସିନେମା ଯାହାର ସିନେମା କାହାଣୀ ଅପେକ୍ଷା ଗୀତ ଅଧିକ ଭାଇରାଲ ହୁଏ । ଗୋଟିଏ କି ଦୁଇଟି ନୁହେଁ ପାଖାପାଖି 700 ରୁ ଉର୍ଦ୍ଧ ଗୀତରେ ସଂଗୀତ ନିର୍ଦେଶନା ଦେଇଛନ୍ତି ସେ। କେବଳ ଏତିକି ନୁହେଁ ଅନେକ ଯୁବ କଣ୍ଠଶିଳ୍ପୀ ମଧ୍ୟ ନିର୍ମାଣ କରିଛନ୍ତି। ଅଭିଜିତଙ୍କ ଅକାଳ ବିୟୋଗରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି।
Prev Post