୨୦ ତମ ଭବ୍ୟ ତୋଷାଳି ସ୍ୱଦେଶୀ ମେଳା: ଏକାମ୍ର ହାଟରୁ ଗଢ଼ିଲା ପ୍ରଚାର ରଥ
Toshali craft mela starts from February 14
ଭୁବନେଶ୍ୱର : ୨୦ ତମ ଭବ୍ୟ ତୋଷାଳି ସ୍ୱଦେଶୀ ମେଳା ଉପଲକ୍ଷେ ଆଜି ସ୍ଥାନୀୟ ଏକାମ୍ର ହାଟଠାରୁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଥକୁ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ। ଏହି ପ୍ରଚାର ରଥ କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର ଏବଂ ବ୍ରହ୍ମପୁର ପରି ପ୍ରମୁଖ ସହର ପରିକ୍ରମା କରି ଜନସଚେତନତା ସୃଷ୍ଟି କରିବ। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର ଜନତା ମଇଦାନଠାରେ ଆସନ୍ତା ଫେବୃଆରୀ ୧୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ୨୦ ତମ ଭବ୍ୟ ତୋଷାଳି ସ୍ୱଦେଶୀ ମେଳା ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷର ଥିମ୍ ରହିଛି ‘ସ୍ୱଦେଶୀ ଏବଂ ଆତ୍ମନିର୍ଭର’। ଏହି ମେଳାରେ ମୋଟ ୮୪୦ ଟି ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।