ଜାତୀୟ ମଞ୍ଚରେ ଓଡ଼ିଶାର ଜୟଗାନ: ୟୁଏମ୍ଆଇ ଏକ୍ସପୋ-୨୦୨୬ରେ କ୍ରୁଟ୍ର ହ୍ୟାଟ୍ରିକ୍ ସଫଳତା!
Odisha shines on the national stage: CRUT achieves a hat-trick of successes at UMI Expo 2026
ଜାତୀୟ ମଞ୍ଚରେ ଓଡ଼ିଶାର ଜୟଗାନ: ୟୁଏମ୍ଆଇ ଏକ୍ସପୋ-୨୦୨୬ରେ କ୍ରୁଟ୍ର ହ୍ୟାଟ୍ରିକ୍ ସଫଳତା
ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ଏହା ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ! ଅକ୍ଟୋବର ୨୪ ଓ ୨୫ ତାରିଖରେ ରାଜଧାନୀରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ଏକ୍ସପୋ ଏବଂ ନ୍ୟାସନାଲ୍ ଅର୍ବାନ୍ କନ୍କ୍ଲେଭ୍-୨୦୨୬। ଆଉ ସହରାଞ୍ଚଳ ପରିବହନର ଏହି ଜାତୀୟ ମହାକୁମ୍ଭରେ ଓଡ଼ିଶାର ନିଜସ୍ୱ ପରିବହନ ସଂସ୍ଥା ‘କ୍ରୁଟ୍’ ନିଜର ଦବ୍ଦବା ଜାହିର କରିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉଦ୍ଯାପନୀ ଉପସ୍ଥିତିରେ କ୍ରୁଟ୍ ଏକାଥରକେ ତିନୋଟି ମର୍ଯ୍ୟାଦାଜନକ ପୁରସ୍କାର ହାତେଇ ଇତିହାସ ରଚିଛି।ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ମେଗା ଇଭେଣ୍ଟରେ କ୍ରୁଟ୍ର ପ୍ୟାଭିଲିୟନ୍ ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା। ଏହାର ଶୈଳୀ ଆଉ ପ୍ରଭାବଶାଳୀ ଉପସ୍ଥାପନା ଯୋଗୁଁ କ୍ରୁଟ୍କୁ ମିଳିଛି ‘ଶ୍ରେଷ୍ଠ ପ୍ରଦର୍ଶକ’ର ମୁକୁଟ। କେବଳ ସେତିକି ନୁହେଁ, ପରିବେଶ ଅନୁକୂଳ ଯାତାୟାତ ପାଇଁ ‘ଶ୍ରେଷ୍ଠ ସବୁଜ ପରିବହନ ପଦକ୍ଷେପ’ ବର୍ଗରେ ଉତ୍କର୍ଷ ପୁରସ୍କାର ଏବଂ ଉନ୍ନତ ସହରାଞ୍ଚଳ ପରିବହନ ସଂସ୍କାର ପାଇଁ ପ୍ରଶଂସାମୂଳକ ସ୍ୱୀକୃତି ମଧ୍ୟ ଓଡ଼ିଶା ଖାତାକୁ ଆସିଛି। ଦର୍ଶକ ଓ ପ୍ରତିନିଧିମାନେ କ୍ରୁଟ୍ର ଅଭିନବ ଚିନ୍ତାଧାରା ଓ ସ୍ଥାୟୀ ଦୂରଦୃଷ୍ଟି ଦେଖି ବିମୋହିତ ହୋଇଥିଲେ।କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏହି ଏକ୍ସପୋ ପ୍ରମାଣିତ କରିଛି ଯେ, ଦକ୍ଷ, ସବୁଜ ଓ ସ୍ଥାୟୀ ସାର୍ବଜନୀନ ପରିବହନ କ୍ଷେତ୍ରରେ ଓଡ଼ିଶା କେବଳ ଏକ ଉଦାହରଣ ନୁହେଁ, ବରଂ ଏକ ନୂତନ ମାର୍ଗଦର୍ଶକ। ଜାତୀୟ ସ୍ତରରେ କ୍ରୁଟ୍ର ଏହି ଐତିହାସିକ ତଥା ଉଲ୍ଲେଖନୀୟ ସଫଳତା ଆଜି ପ୍ରତିଟି ଓଡ଼ିଆଙ୍କ ଛାତିକୁ ଗର୍ବରେ କୁଣ୍ଢେମୋଟ କରିଦେଇଛି!