ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ କରାଯିବ ଓଡ଼ିଆ ପକ୍ଷ। ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ନେଇ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ। ଗତବର୍ଷ ପ୍ରଥମ ଥର ପାଇଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଆହୁରି ଭବ୍ୟ ରୂପେ ଯେପରି ପାଳନ କରାଯିବ ସେ ନେଇ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ପକ୍ଷ ପାଳନ ସମୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଆୟୋଜନ କରାଇବା ଏବଂ ଏଥିରେ ସମସ୍ତ ଜନସାଧାରଣଙ୍କ ଅଂଶୀଦାରିତାକୁ ସୁନିଶ୍ଚିତ କରାଇବା ଉପରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଆ ପକ୍ଷ ପାଳନ ସମୟରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ରହିଛି। ଓଡ଼ିଶା ଦିବସ, ଖଡ଼ିଛୁଆଁ ଦିବସ, ପାରମ୍ପରିକ ପୋଷାକ ଦିବସ, ବର୍ଣ୍ଣ ଦିବସ, ଲୋକକଳା ଦିବସ, ପାରମ୍ପରିକ ଖାଦ୍ୟ ଦିବସ, ସ୍ୱଚ୍ଛତା ଦିବସ, ରକ୍ତଦାନ ଅଭିଯାନ, ଓଡ଼ିଆରେ ନାମ ଫଳକ ଅଭିଯାନ, ଐତିହ୍ୟ ଗଣ ଦୌଡ଼, ଯୁବ ଲେଖକ ସମ୍ମିଳନୀ, ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ର ଆଦି କାର୍ଯ୍ୟକ୍ରମ ଆୟୋଜନ ହେବାର ଯୋଜନା ରହିଛି।
Next Post