ପ୍ରକୃତି ବିନା ବଞ୍ଚିବା ଅସମ୍ଭବ l ମନୁଷ୍ୟ ବଞ୍ଚିବା ପାଇଁ ଅହରହ ନିଶ୍ୱାସରେ ବୃକ୍ଷରୁ ମିଳୁଥିବା ଅମ୍ଳଜାନକୁ ନେଉଛି ଏବଂ ତାକୁ ନଷ୍ଟ କରିବାକୁ ପଛାଉନାହିଁ l ଧୀରେଧୀରେ ସ୍ଥାନ ସଂକୁଚିତ ହେବା ଏବଂ ଚାଷ ଜମି ବଦଳରେ କଂକ୍ରିଟ ଜଙ୍ଗଲ ବଢ଼ିବା ଆମପାଇଁ ଏକ ମୁଖ୍ୟ ସମସ୍ୟା ହୋଇଛି l ମନୁଷ୍ୟକୁ ଟିକେ ସୁସ୍ଥ ଓ ସୁଷମ ଖାଦ୍ୟ ଏବଂ ସବୁଜ ପରିବେଶ ପାଇଁ ଚିନ୍ତା କରିବାକୁ ପଡ଼ିଲାଣି l ସେଥିପାଇଁ ସହରାଞ୍ଚଳ ମାନଙ୍କରେ ଛାତ ବଗିଚାର ପରିକଳ୍ପନା କେହିକେହି ଆରମ୍ଭ କଲେଣି l ଏଥିରୁ ସୁନ୍ଦର ସ୍ୱାସ୍ଥ୍ୟ, ସୁସ୍ଥ ମନ, ସୁସ୍ଥ ଖାଦ୍ୟ ଏବଂ ସୁସ୍ଥ ପରିବେଶ ମିଳୁଛି l ଏହି ବାର୍ତ୍ତା ହିଁ ଛାତ ବଗିଚାର ଉଦ୍ଦେଶ୍ୟ l ସ୍ୱଳ୍ପ ଖର୍ଚ୍ଚରେ ଘରୁ ବାହାରୁଥିବା ବର୍ଜ୍ୟ ବସ୍ତୁ ଏବଂ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଛାତ ଉପରେ କିପରି ସୁନ୍ଦର ବଗିଚା କରିହେବ ତାକୁ ନେଇ ଆମେ ଆଲୋଚନା କରିବା କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର (CHES)ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ପି. ଶ୍ରୀନିବାସଙ୍କ ସହିତ l
1. ଛାତ ବଗିଚାର ମୁଖ୍ୟ ଉଦ୍ଦେଶ୍ୟ କ’ଣ?
ଛାତ ବଗିଚାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସୌନ୍ଦର୍ଯ୍ୟ, ପୋଷଣଯୁକ୍ତ ଖାଦ୍ୟ ଏବଂ ସୁସ୍ଥ ପରିବେଶ l ସୁସ୍ଥ ପରିବେଶ କହିଲେ ସୁସ୍ଥ ଶରୀର ଏବଂ ସୁସ୍ଥ ମନ l ଏଇ ଧାରଣାକୁ ନେଇ ଆମେ ପ୍ରୋତ୍ସାହନ କରୁଛୁ ଛାତ ବଗିଚା କରିବାପାଇଁ l ସବୁଜ ଜଙ୍ଗଲ କ୍ଷୟ ଘଟି କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଇଲାଣି l ପୂର୍ବରୁ ସହରରେ ବୃକ୍ଷ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବେଳେ ବର୍ତ୍ତମାନ କଂକ୍ରିଟ ଜଙ୍ଗଲ ସହରର ଉତ୍ତାପ ବୃଦ୍ଧି କରୁଛି l ସେଥିପାଇଁ ଛାତ ବଗିଚାର ପରିକଳ୍ପନା l
2. ସବୁଜ ଏବଂ କଂକ୍ରିଟ ସ୍ଥାନ ମଧ୍ୟରେ ପ୍ରଭେଦ କ’ଣ ଏବଂ ଏହାର ସମାଧାନ କିପରି ହେବ?
ସବୁଜ ସ୍ଥାନ ଏବଂ କଂକ୍ରିଟ ସ୍ଥାନ ଭିତରେ ପ୍ରଭେଦ ହେଲା, ସବୁଜ ସ୍ଥାନରେ ସୂର୍ଯ୍ୟରଶ୍ମି ପଡିଲେ ସେଥିରୁ ଥଣ୍ଡା ଲାଗିବ ଏବଂ କଂକ୍ରିଟ ସ୍ଥାନରେ ସୂର୍ଯ୍ୟରଶ୍ମି ପଡିଲେ ସେଥିରୁ ଉତ୍ତାପ ବାହାରିବ l ତାକୁ ଆମେ ସହରୀ ଉତ୍ତାପ ଦୀପ ବା Urban Heat Island କହୁଛୁ l ସହର ଗୁଡିକ ଗରମ ହୋଇ ପରିବେଶ ନଷ୍ଟ ହେଉଛି l ତାକୁ କିପରି ଥଣ୍ଡା ରଖିବା ଏବଂ ସହରକୁ ସୁନ୍ଦର କରିବା l ସ୍ଥାନ ଅଭାବରୁ ବୃକ୍ଷ ରୋପଣ କରିବା ସମ୍ଭବ ନୁହେଁ l ଛାତ ବଗିଚାରେ ଆମର ଛାତ ଏବଂ ଘରର ଉତ୍ତାପ ସ୍ୱଳ୍ପ ରହିବା ସହିତ ଥଣ୍ଡା ଲାଗିବ l ସେଇଥିପାଇଁ ଛାତ ଉପର ବଗିଚାର ଆରମ୍ଭ ।
3.ସହରାଞ୍ଚଳରେ ଛାତ ବଗିଚାର ବିଶେଷତ୍ୱ କ’ଣ ରହିଛି?
ଦେଖାଯାଉଛି ଜନସଂଖ୍ୟା ବଢ଼ିବାରୁ ଖାଦ୍ୟର ଆବଶ୍ୟକତା ବଢୁଛି l ଖାଦ୍ୟର ଆବଶ୍ୟକତା ଅନୁଯାୟୀ ଚାଷଜମି କମି ଯିବାରୁ ଉତ୍ପାଦନ ବଢେଇବା ପାଇଁ ଅତ୍ୟଧିକ ସାର ଏବଂ ଔଷଧର ପ୍ରୟୋଗ ହେଉଛି l ତା’ର କିଛି ଅଂଶ ଆମ ଶରୀରକୁ ପ୍ରବେଶ କରୁଛି ଏବଂ ସେ ଖାଦ୍ୟ ଖାଇ ଆମର ବିଭିନ୍ନ ପ୍ରକାରର ରୋଗ ବିଶେଷକରୀ କ୍ୟାନ୍ସର ଭଳି ମାରାତ୍ମକ ରୋଗ ବଢ଼ି ବଢ଼ି ଚାଲିଛି l ତେଣୁ ଆମେ ସୁସ୍ଥ ରହିବାପାଇଁ ସୁସ୍ଥ ଖାଦ୍ୟର ଆବଶ୍ୟକତା ଅଛି l ସେଇଥିପାଇଁ ଛାତ ବଗିଚା କରାଯାଉଛି l ଖାଲି ସେତିକି ନୁହେଁ, କେତେଗୋଟି କାରଣ ହୋଇଗଲାଣି ସହରାଞ୍ଚଳରେ ଛାତ ବଗିଚାକୁ ବଢେଇବାରେ l. ସେଥିମଧ୍ୟରୁ ମୁଖ୍ୟହେଲା ଅତ୍ୟଧିକ ଗରମ ପାଇଁ ଛାତ ଉପରେ ଗଛ ଲଗାଇବା, ସୁସ୍ଥ ପୋଷାକ ତତ୍ତ୍ୱ ପାଇଁ ବିଭିନ୍ନ ପ୍ରକାରର ପରିବା ଏବଂ ଔଷଧୀୟ ବୃକ୍ଷ ଲଗାଯାଉଛି ।
ଅନ୍ୟଏକ କାରଣ ହେଲା ଆମର କାର୍ଯ୍ୟବ୍ୟସ୍ତତା ଯୋଗୁଁ ମାନସିକ ଚାପ ବୃଦ୍ଧି ପାଉଛି ସେଥିରୁ ନିବୃତ୍ତି ପାଇଁ ଛାତ ବଗିଚାରେ କିଛି ସମୟ ବିତେଇଲେ ଅବସାଦ ଦୂର ହୋଇଯାଉଛି l ଦେଖାଯାଉଛି ବୟସ୍କ ଲୋକମାନେ ଚାକିରିରୁ ଅବସର ପରେ ପୁରା ଏକୁଟିଆ ଅନୁଭବ କରୁଛନ୍ତି ଯେହେତୁ ପିଲାମାନେ ବାହାରେ ଚାକରି କରୁଛନ୍ତି l ସେମାନଙ୍କର ଏକେଲାପଣକୁ ଦୂର କରି ମାନସିକ ଶାନ୍ତି ପାଇଁ ଛାତ ବଗିଚା ହେଉଛି ଏକ ସୁନ୍ଦର ମାଧ୍ୟମ l ମହିଳା ମାନଙ୍କ ପାଇଁ ଏହା ସବୁଠୁ ଉତ୍ତମ କାର୍ଯ୍ୟ କାରଣ ସେମାନେ ଚାକିରୀକୁ ଯାଆନ୍ତୁ କିମ୍ୱା ଘରେ ରୁହନ୍ତୁ ସବୁଥିରେ ଚାପରେ ରହୁଛନ୍ତି ଏବଂ ମୋବାଇଲ, ଟିଭି ରେ ଅଧିକାଂଶ ସମୟ ଦେଉଛନ୍ତି ଯାହାଫଳରେ ମନରେ ଶାନ୍ତି ଆସୁନି ପରିବାରରେ ପିଲାମାନେ ବି ତାକୁ ଦେଖି ଖରାପ ହେଉଛନ୍ତି l ଯାହାଫଳରେ ମହିଳା ମାନେ ଅବସାଦରେ ରହୁଛନ୍ତି l ଅବସାଦରୁ ନିଜକୁ ଦୁରେଇ ରଖିବାପାଇଁ ଛାତ ବଗିଚା ଏକ ସୁନ୍ଦର ମାଧ୍ୟମ l ଏବଂ ବିଷମୁକ୍ତ ଜୈବିକ ତଟକା ପରିବା ନିଜ ପରିବାର ପାଇଁ ପାଇପାରିବେ l ତା’ ସହିତ କିଛିଟା ବ୍ୟାୟାମ, ସୁସ୍ଥ ଏବଂ ଶାନ୍ତ ପରିବେଶ ଓ ସୁସ୍ଥ ବାୟୁ ଗ୍ରହଣ କରିଲେ ।
4.ଛାତ ବଗିଚା କରିବାପାଇଁ ଖର୍ଚ୍ଚର ଆବଶ୍ୟକତା କେତେ ରହୁଛି?
ସ୍ୱଳ୍ପ ଖର୍ଚ୍ଚରେ ଛାତ ବଗିଚା ହୋଇଯାଉଛି l ଘରୁ ବାହାରୁଥିବା ପରିବା ଚୋପା, ଜୈବିକ ଅଳିଆ ଯେଉଁଟା ସଢ଼ିପାରିବ ତାକୁ ନେଇ ବ୍ୟବହାର କରି ଆମେ ମାସକରେ ୧୦ ପ୍ରତିଶତ ଆବଶ୍ୟକତା ପୂରଣ କରିପାରିବା l ଯାହାକୁ ଆମେ କହୁଛୁ “ଅମୃତ ବାଟିକା” l ମାଟିର ଯେଉଁ ଖତ ଆବଶ୍ୟକ ତାକୁ ଆମେ ଅମୃତ ବାଟିକାରୁ ପାଇଲେ ଏବଂ ବଜାରରୁ କିଛିଟା କ୍ରୟ କରି ଏସବୁକୁ ମିଶେଇକି କରିପାରିବା l ଧୀରେ ଧୀରେ ଆମକୁ ଆଉ ବେଶି ବଜାର ଉପରେ ନିର୍ଭର କରିବାକୁ ପଡ଼ିବନି l ୨ ମାସ ଭିତରେ ଛାତ ବଗିଚାରୁ ବାହାରିଥିବା ଶୁଖିଲା ପତ୍ର, ପରିବା ଚୋପା ଏବଂ କାଗଜ ଗୁଣ୍ଡ ସବୁ ପଚିକି ସୁନ୍ଦର ଖତ ଉପଯୋଗୀ ହୋଇଯିବ l ଜଣେ ସ୍ୱଳ୍ପ କିମ୍ବା ବିନା ଖର୍ଚ୍ଚରେ ଛାତ ବଗିଚା ଆରମ୍ଭ କରିପାରିବ ।
5.ଗଛରେ ରୋଗପୋକ ନିୟନ୍ତ୍ରଣ କିପରି ହେବ ଏବଂ ମଞ୍ଜି କେଉଁଠୁ ପାଇବା?
ଗଛ ଅଛି ମାନେ ରୋଗପୋକ ରହିବ l ସେଥିପାଇଁ କରଞ୍ଜ ତେଲ,ନିମ୍ବତେଲ ଏବଂ ପାଉଁଶକୁ ବ୍ୟବହାର କରିଲେ ରୋଗପୋକ କେତେକାଂଶରେ ନିୟନ୍ତ୍ରଣ କରିହେବ l କିଛିଟା ଉପକାରୀ ଜୀବ ଯେପରି ପ୍ରଜାପତି, କଙ୍କି ଏବଂ ମହୁମାଛି ଇତ୍ୟାଦି ଫସଲ ବଢେଇବାରେ ସାହାଯ୍ୟ କରନ୍ତି l ଭଲ ମଞ୍ଜି ପାଇଁ ସରକାରୀ ସଂସ୍ଥାରୁ ମିଳୁଥିବା ମଞ୍ଜିକୁ ବ୍ୟବହାର କରିପାରିବେ କିମ୍ବା ଗଛରୁ ବାହାରୁଥିବା ପୁରୁଣା ସୁସ୍ଥ ମଞ୍ଜିକୁ ରଖି କିମ୍ବା ଦେଶି ମଞ୍ଜିକୁ ଛାତ ବଗିଚା ପାଇଁ ବ୍ୟବହାର କରିହେବ l ଯାହାଦ୍ୱାରା ଭଲ ଫଳ ବାହାରିବ ।
6.ଛାତ ଉପରେ ବଗିଚା କଲେ ସ୍ୱଳ୍ପ ଜଳର ବ୍ୟବହାର କିପରି ହେବ ଏବଂ ଏହା ଛାତକୁ ନଷ୍ଟ କରିବନି?
ଗଛ ପାଇଁ ମୁଖ୍ୟତଃ ସୂର୍ଯ୍ୟରଶ୍ମି, ଜଳ ଏବଂ ପୋଷଣ ଏହି ତିନୋଟି ଜିନିଷର ଆବଶ୍ୟକତା ଅଛି l ପ୍ରଥମ କଥାହେଲା ଛାତ ବଗିଚାରେ କୁଣ୍ଡ, ପ୍ଲାଷ୍ଟିକ ବାଲଟି ଏବଂ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ହେଉଥିବାରୁ ସେଥିପାଇଁ ସ୍ୱଳ୍ପ ଜଳର ଆବଶ୍ୟକ ପଡେ l ବର୍ଷାଦିନେ କୁଣ୍ଡ ମାଧ୍ୟମରେ ଛାତ ଜଳକୁ କିଛିଦିନ ପାଇଁ ସଂଚୟ କରି ରଖିହେବ, ଗାଧୁଆ ପାଣି, ଚାଉଳ ଧୁଆ ପାଣିକୁ ବ୍ୟବହାର କରିହେବ l ସ୍ୱଳ୍ପଜଳ ଟାଣୁଥିବା ଜିନିଷକୁ ବ୍ୟବହାର କରିବା ଯେପରି ନଡ଼ିଆ କତା, ହାଇଡ୍ରୋଜେନ ଗ୍ରୋ ବଲକୁ ଥରେ ଜଳରେ ମିଶାଇ ଦେଲେ ଅଧିକ ଦିନ ପର୍ଯ୍ୟନ୍ତ ସ୍ୱଳ୍ପ ଜଳ ଟାଣିବ l ଘରୁ ବାହାରୁଥିବା ଚାଉଳ ଧୁଆ ପାଣି, ଧାନ ର କୁଣ୍ଡା ଏସବୁକୁ ମାଟି ବଦଳରେ ଗଛ ଲଗେଇବାରେ ବ୍ୟବହାର କଲେ ହାଲୁକା ହେବ lଛାତ ନଷ୍ଟ ନହେବା ପାଇଁ ଜଳ ନିରୋଧ ରଙ୍ଗର ବ୍ୟବହାର କରିହେବ ଯାହାଦ୍ୱାରା ଛାତ ଜମା ନଷ୍ଟ ହେବନାହିଁ l ନୂଆ ଘର ତିଆରି ସମୟରେ ମିସ୍ତ୍ରୀକୁ କହି ସେଇ ଅନୁସାରେ ଛାତକୁ ତିଆରି କରିହେବ l ଯେପରି ଶନ୍ତରଣାଗାରରେ ଜଳନିରୋଧୀ କୁଣ୍ଡ ତିଆରି କରୁଛନ୍ତି ଟୋପାଏ ବି ଜଳ ବାହାରକୁ ଯାଉନି ।
7. ସହରର ଜନସାଧାରଣଙ୍କୁ କିଭଳି ଭାବେ ପ୍ରୋତ୍ସାହନ କରୁଛନ୍ତି ଏବଂ ସରକାରଙ୍କର ଏଥିରେ କିଛି ସହଯୋଗ ଅଛି କି?
ରାଜ୍ୟ ସରକାର ଏହି ପ୍ରୋଜେକ୍ଟ ପାଇଁ କିଛି ପାଣ୍ଠି ଅନୁଦାନ କରିଛନ୍ତି l ଯାହାକୁ ନେଇ ନୂତନ କୌଶଳ ମାଧ୍ୟମରେ ବୈଜ୍ଞାନିକ ପଦ୍ଧତିରେ କିପରି ଛାତ ବଗିଚା କରିହେବ ଆମେ ସେ ବ୍ୟବସ୍ଥା କରୁଛୁ l 5 ଗୋଟି ସହରରେ ପ୍ରଚାର କରୁଛୁ ଗ୍ରୀଟିଙ୍ଗସ କାର୍ଡ ବାଣ୍ଟୁଛୁ l ଆମର ବାଙ୍ଗାଲୁରେ ଥିବା “କେନ୍ଦ୍ରୀୟ ଉଦ୍ୟାନ ଗବେଷଣା ସଂସ୍ଥାନ “ରେ ୧୫୦ ରୁ ଉର୍ଦ୍ଧ୍ୱ ନୂତନ ଜ୍ଞାନ କୌଶଳକୁ ନେଇ ଆମେ ଛାତ ବଗିଚାରେ ବ୍ୟବହାର କରିବାକୁ ଚେଷ୍ଟା ଚଳେଇଛୁ ।
ବନ୍ଦନା ମିଶ୍ର