କେନ୍ଦ୍ର କୋଇଲା ମନ୍ତ୍ରୀ ଏମସିଏଲ୍ର ତାଳଚେରସ୍ଥିତ ହାଣ୍ଡିଧୁଆଠାରେ ‘କୋଲ୍-ନୀର’ ପ୍ଲାଣ୍ଟ ଉଦ୍ଘାଟନ କଲେ
Union Coal Minister inaugurates MCL's 'Col-Neer' plant at Handidhua in Talcher
ସମ୍ବଲପୁର, ୨୩ ଜୁଲାଇ, ୨୦୨୬: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ନୂଆଦିଲ୍ଲୀରୁ ଭର୍ଚୁଆଲ୍ ମାଧ୍ୟମରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ର ତାଳଚେରସ୍ଥିତ ହାଣ୍ଡିଧୁଆରେ ନିର୍ମିତ ପ୍ୟାକେଜଡ୍ ପାନୀୟ ଜଳ ପ୍ଲାଣ୍ଟ ‘କୋଲ୍-ନୀର’ର ଉଦ୍ଘାଟନ କରିଛନ୍ତି। ଖଣି ଖନନ କାର୍ଯ୍ୟ ପରିସମାପ୍ତି ହେବାପରେ ସ୍ଥାୟୀ ବିକାଶ ଏବଂ ସମାଜର ଜନକଲ୍ୟାଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ନୂଆଦିଲ୍ଲୀଠାରେ ତା. ୨୨ ଜୁଲାଇ,୨୦୨୬ରିଖରେ ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ, କୋଇଲା ମନ୍ତ୍ରଣାଳୟର ସଚିବ ଶ୍ରୀ ବିକ୍ରମ ଦେବ ଦତ୍ତ, ଅତିରିକ୍ତ ସଚିବ ଶ୍ରୀମତୀ ରୂପିନ୍ଦର ବରାର, କୋଲ୍ ଇଣ୍ଡିଆ ଲିମିଟେଡ୍ର ଅଧ୍ୟକ୍ଷ ଶ୍ରୀ ବି. ସାଇରାମ ଏବଂ ଏମସିଏଲ୍ର ସିଏମଡି ଶ୍ରୀ ଉଦୟ ଅନନ୍ତ କାଓଲେ ପ୍ରମୁଖ ଉପସ୍ଥିତ ଥିଲେ।ଏହିକ୍ରମରେ, ତାଳଚେରସ୍ଥିତ ପ୍ଲାଣ୍ଟ ପରିସରରେ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଏମସିଏଲ୍ର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଏସ.କେ. ଝା, ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ଏସ.ଏସ. ନାୟକ, ତାଳଚେର କ୍ଷେତ୍ରର ମହାପ୍ରବନ୍ଧକ ଶ୍ରୀ ଡି.ସି. କୁଣ୍ଡୁ, ସିଏସଆର ମହାପ୍ରବନ୍ଧକ ଶ୍ରୀ ଜ୍ୟୋତିର୍ମୟ ସିହ୍ନା, ତାଳଚେର ଉପ-ଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁ ସମେତ ଏମସିଏଲ୍ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।କୋଇଲା ମନ୍ତ୍ରଣାଳୟର ‘ମିଶନ ଗ୍ରୀନ୍’ (Mission GREEN) ଅଧୀନରେ, ଏମସିଏଲ୍ ୧୯୯୮ ମସିହାରୁ ବନ୍ଦ ହୋଇ ପଡ଼ିଥିବା ହାଣ୍ଡିଧୁଆ ଭୂତଳ ଖଣିକୁ ଏକ ସ୍ଥାୟୀ ସାମୁଦାୟିକ ପରିସମ୍ପତ୍ତିରେ ରୂପାନ୍ତରିତ କରି ଏହି ‘କୋଲ୍-ନୀର’ ପ୍ଲାଣ୍ଟ ସ୍ଥାପନ କରିଛି। ଏହି ଖଣିରୁ ବାହାରୁଥିବା ଜଳକୁ ଆଇଆଇଟି ମାଦ୍ରାସ ଦ୍ୱାରା ବିକଶିତ ସିଡିଆଇ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପ୍ରାକୃତିକ ଓ ସ୍ୱାସ୍ଥ୍ୟକର ଖଣିଜ ଲବଣକୁ ବଜାୟ ରଖି ବିଶୁଦ୍ଧ କରାଯିବ ଏବଂ ଏହାକୁ ପ୍ୟାକେଜଡ୍ ପାନୀୟ ଜଳ ଭାବରେ ଯୋଗାଇ ଦିଆଯିବ।ପ୍ରତିଦିନ ୧୦୦ କିଲୋଲିଟର (100 KLD) କ୍ଷମତା ସମ୍ପନ୍ନ ଏହି ହାଣ୍ଡିଧୁଆ କୋଲ୍-ନୀର ପ୍ଲାଣ୍ଟ ପ୍ରାୟ ୮,୯୭୫ ଜଣ ଲୋକଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣ କରିବ। ଏହାସହ ୪୧ ଟି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ମହିଳାମାନଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି କରିବ। ଏହି ପଦକ୍ଷେପ ମାଧ୍ୟମରେ ଏସଏଚଜି ମହିଳାମାନଙ୍କ ଦ୍ୱାରା ତାଳଚେର ବ୍ଲକ୍ରେ ପ୍ୟାକେଜଡ୍ ପାନୀୟ ଜଳ ବଣ୍ଟନ କରାଯିବ, ଯାହା ଦ୍ୱାରା ରୋଜଗାର ସୃଷ୍ଟି ହେବା ସହ ଜନସାଧାରଣଙ୍କ ଭାଗିଦାରୀ ବୃଦ୍ଧି ପାଇବ। ଏହି ଅବସରରେ, ‘କୋଲ୍-ନୀର’ ପ୍ରକଳ୍ପକୁ ସଫଳ କରିବାରେ ଯେଉଁମାନେ ନିଜର ନିଷ୍ଠାପର ଯୋଗଦାନ ଦେଇଥିଲେ, ସେମାନଙ୍କୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।ଏହି ପଦକ୍ଷେପ ଏମସିଏଲ୍ର ସ୍ଥାୟୀ ବିକାଶ, ସାମାଜିକ କଲ୍ୟାଣ ଏବଂ ମହିଳା ସଶକ୍ତୀକରଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହାସହ ଖଣିଜ ଜଳକୁ ପୁନଃବ୍ୟବହାରଯୋଗ୍ୟ କରି ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଦାୟିତ୍ୱବାନ୍ ଖଣି ଖନନ ପରବର୍ତ୍ତୀ ବିକାଶକୁ ପ୍ରୋତ୍ସାହିତ କରିବାରେ ଏମସିଏଲ୍ ପ୍ରୟାସରତ।