ଭାରତୀୟ ବଜାରରେ ସ୍ମାର୍ଟଫୋନ୍ ବିକ୍ରି ୨୬% ହ୍ରାସ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଗବେଷଣା ସଂସ୍ଥା ‘ଓମଡିଆ’ ର ଏକ ରିପୋର୍ଟ ଅନୁଯାୟୀ, ୨୦୨୬ ମସିହାର ତୃତୀୟ କ୍ୱାର୍ଟରରେ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ବଡ଼ଧରଣର ହ୍ରାସ ଘଟିଛି। ପର୍ବପର୍ବାଣୀ ସିଜିନ୍ ଆରମ୍ଭ ହୋଇଥିଲେ ମଧ୍ୟ ସ୍ମାର୍ଟଫୋନ୍ ଶିପମେଣ୍ଟ ବାର୍ଷିକ ଭିତ୍ତିରେ ୨୬% ହ୍ରାସ ପାଇ ୩ କୋଟି ୫୮ ଲକ୍ଷ (୩୫.୮ ମିଲିୟନ୍) ୟୁନିଟ୍ରେ ପହଞ୍ଚିଛି। ୨୦୧୬ ପରେ ତୃତୀୟ କ୍ୱାର୍ଟରରେ ଏହା ସବୁଠାରୁ କମ୍ ବିକ୍ରି ବା ଶିପମେଣ୍ଟ ବୋଲି ଜଣାପଡ଼ିଛି। ସ୍ମାର୍ଟଫୋନ୍ ଦର ବୃଦ୍ଧି ଏବଂ ଗ୍ରାହକମାନଙ୍କର ସତର୍କ ଖର୍ଚ୍ଚ ଯୋଗୁଁ ମୋବାଇଲ୍ ବଦଳାଇବା ପ୍ରବୃତ୍ତି କମିଛି। ଏହାବ୍ୟତୀତ ଏଥର ଦୀପାବାଳୀ ଟିକେ ବିଳମ୍ବରେ ପଡ଼ିଥିବାରୁ ଅଫଲାଇନ୍ ବଜାରର ଗହଳି ସେପ୍ଟେମ୍ବରରୁ ଅକ୍ଟୋବରକୁ ଘୁଞ୍ଚିଯାଇଛି। ଅନଲାଇନ୍ ବିକ୍ରି କମିଥିବାରୁ ଏହା ଚୀନ୍ ମୂଳର ମୋବାଇଲ୍ ନିର୍ମାତାଙ୍କୁ ଅଧିକ ପ୍ରଭାବିତ କରିଛି। ଗତବର୍ଷ ତୁଳନାରେ ଏମାନଙ୍କର ମିଳିତ ବଜାର ଅଂଶ ୭୫%ରୁ ଖସି ୬୮%କୁ ଆସିଯାଇଛି। ଗାଲାକ୍ସି ସିରିଜ୍ ଏବଂ ଫ୍ଲାଗସିପ୍ ଫୋନ୍ଗୁଡ଼ିକର ଦମରେ ସାମସଙ୍ଗ ପୁଣିଥରେ ବଜାରର ଶୀର୍ଷ ସ୍ଥାନ ଦଖଲ କରିଛି। ଅନ୍ୟପକ୍ଷରେ, ଭିଭୋ ଭଳି କମ୍ପାନୀଗୁଡ଼ିକର ଶିପମେଣ୍ଟ ମଧ୍ୟ ହ୍ରାସ ପାଇଛି। ଆଗାମୀ ଦିନରେ AI ଫିଚର୍ସ, ଫାଇନାନ୍ସିଂ ସ୍କିମ୍ ଏବଂ ଏକ୍ସଚେଞ୍ଚ ଅଫର୍ ମାଧ୍ୟମରେ ବଜାର ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।